ଜିଲ୍ଲାର ସୀମାନ୍ତ ଅଞ୍ଚଳ କୋଟିଆରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ପଞ୍ଚାୟତ ନିର୍ବାଚନ କରାଯିବାକୁ ନେଇ ପୁଣି ତେଜିଛି ଓଡ଼ିଶା-ଆନ୍ଧ୍ର ବିବାଦ। ନଭେମ୍ବର ୫ ତାରିଖରେ ଆନ୍ଧ୍ର ପ୍ରଦେଶ ପକ୍ଷରୁ କୋଟିଆ ଅଞ୍ଚଳରେ ନିର୍ବାଚନ କରାଯାଇଥିବା ବେଳେ ମତଦାନ ହାରକୁ ନେଇ ଉଭୟ ପକ୍ଷର ଦାବି ମଧ୍ୟରେ ଦେଖାଦେଇଛି ମତଭେଦ। ଆନ୍ଧ୍ର ପକ୍ଷରୁ କୋଟିଆରେ ୩୫ ପ୍ରତିଶତ ମତଦାନ ହୋଇଥିବା ନେଇ ଦାବି କରାଯାଉଥିବା ବେଳେ ଏହି ଦାବିକୁ ଖଣ୍ଡନ କରିଛନ୍ତି କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ୍ ମହାଜନ।
ଜିଲ୍ଲାପାଳଙ୍କ କହିବା ଅନୁଯାୟୀ, କୋଟିଆରେ ୩୫ ପ୍ରତିଶତ ମତଦାନ ହୋଇଥିବା ଦାବି ସଠିକ୍ ନୁହେଁ। ଏଠାରେ ସର୍ବାଧିକ ୧୦ ପ୍ରତିଶତରୁ ବି କମ୍ ମତଦାନ ହୋଇଛି। ଭୋଟିଂକୁ ନେଇ ସୋସିଆଲ ମିଡିଆରେ ପ୍ରଚାରିତ ବିଭିନ୍ନ ତଥ୍ୟ ଓ ଆନ୍ଧ୍ର ପକ୍ଷରୁ ଦିଆଯାଉଥିବା ରିପୋର୍ଟର ସତ୍ୟତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଜିଲ୍ଲାପାଳ। ମତଦାନ ସଂଖ୍ୟାକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସୁଥିବାରୁ ଏହାର ସ୍ୱତନ୍ତ୍ର ଯାଞ୍ଚ ଆବଶ୍ୟକ ବୋଲି ସେ ମତ ରଖିଛନ୍ତି।
ଅନ୍ୟପଟେ, ନିର୍ବାଚନ ଦିନ କୋଟିଆ ଅଞ୍ଚଳରେ ଉତ୍ତେଜନା ଓ ପ୍ରଶାସନିକ ବିବାଦ ଦେଖାଦେଇଥିଲା। ଧୂଳିପଦର ଚର୍ଚ୍ଚକୁ ଆନ୍ଧ୍ର ପୋଲିସ ପକ୍ଷରୁ ଫାଣ୍ଡି ଭାବେ ବ୍ୟବହାର କରାଯାଇଥିବା ଅଭିଯୋଗ ମଧ୍ୟ ଉଠିଥିଲା। ଏହାକୁ ନେଇ କୋରାପୁଟ ପୋଲିସ ଓ ଆନ୍ଧ୍ର ପୋଲିସ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। କୋରାପୁଟ ଏସଡିପିଓ ସଞ୍ଜୟ କୁମାର ମଣ୍ଡଳଙ୍କ ହସ୍ତକ୍ଷେପ ପରେ ଚର୍ଚ୍ଚରେ ତାଲା ପକାଯାଇଥିବା ସହ ଆନ୍ଧ୍ର ପୋଲିସକୁ ସେଠାରୁ ହଟାଯାଇଥିବା ଜଣାପଡ଼ିଛି।
କୋଟିଆ ଅଞ୍ଚଳରେ ଓଡ଼ିଶା ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ବିକାଶମୂଳକ କାର୍ଯ୍ୟକ୍ରମ ପହଞ୍ଚାଇବା ପାଇଁ ରାଜ୍ୟ ପ୍ରଶାସନ ନିରନ୍ତର ଉଦ୍ୟମ କରୁଥିବା କହିଛନ୍ତି ଜିଲ୍ଲାପାଳ। ଆଗାମୀ ଦିନରେ ଆନ୍ଧ୍ର ପକ୍ଷରୁ ପୁଣି ନିର୍ବାଚନ କରାଯିବା ଭଳି ଉଦ୍ୟମ ହେଲେ, ତାହାର ମୁକାବିଲା ପାଇଁ ଓଡ଼ିଶା ପ୍ରଶାସନ ପ୍ରସ୍ତୁତ ରହିଥିବା ମଧ୍ୟ ସେ ସ୍ପଷ୍ଟ କରିଛନ୍ତି।
କୋଟିଆକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ଓଡ଼ିଶା-ଆନ୍ଧ୍ର ସୀମା ବିବାଦ ମଧ୍ୟରେ ଏହି ନିର୍ବାଚନ ଘଟଣା ପୁଣିଥରେ ରାଜନୈତିକ ଓ ପ୍ରଶାସନିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି। ତେବେ ମତଦାନର ପ୍ରକୃତ ସଂଖ୍ୟା ଓ ଉଭୟ ପକ୍ଷର ଦାବି ସମ୍ପର୍କରେ ସ୍ପଷ୍ଟ ଚିତ୍ର ପାଇଁ ଆଧିକାରିକ ତଥ୍ୟର ଯାଞ୍ଚ ଗୁରୁତ୍ୱପୂର୍ଣ୍ଣ।


